Search
Close this search box.

ଭୂକମ୍ପରେ ଛାରଖାର ମିଆଁମାର, ଥାଇଲାଣ୍ଡ

ନୂଆଦିଲ୍ଲୀ, ୨୮/୦୩: ଭୂକମ୍ପରେ ଛାରଖାର ହୋଇଯାଇଛି ମିଆଁମାର। ଧ୍ୱଂସ ବିଧ୍ୱଂସ ସୁଉଚ୍ଚ ଅଟ୍ଟାଳିକା। ମାଟିରେ ମିଶିଗଲା ୧୪୪ ଜୀବନ। ଏବେ ବି ଫସି ରହିଛନ୍ତି ଅନେକ। ସେମାନଙ୍କ ମଧ୍ୟରୁ ୭୩୨ ଜଣ ଆହତ ହୋଇଛନ୍ତି।

ମିଆଁମାରରେ ଆଜି ୭.୭ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ ପରେ ୬.୪ ତୀବ୍ରତାର ଭୂମିକମ୍ପ ଦୁଇ ଦୁଇ ଥର ହୋଇଥିବା ଭୂକମ୍ପର ଝଟକା ସାରା ମିଆଁମାରକୁ ଦୋହଲାଇ ଦେଇଛି। ପାଖାପାଖି ୧.୫ ନିୟୁତ ଜନସଂଖ୍ୟା ବିଶିଷ୍ଟ ମିଆଁମାରର ମାଣ୍ଡାଲେ ସହରଠାରୁ ପ୍ରାୟ ୧୭.୨ କିଲୋମିଟର ଦୂରରେ ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା। ଏଥିରେ ୧୪୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବହୁ କୋଠାଘର ଭାଙ୍ଗିବା, ପୋଲ ଭୁଶୁଡ଼ିପଡ଼ିବା ସହ ନିର୍ମାଣାଧୀନ ସୁଉଚ୍ଚ ଅଟ୍ଟାଳିକା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡିଛି। ପଡ଼ୋଶୀ ଥାଇଲାଣ୍ଡରେ ମଧ୍ୟ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା, ଯେଉଁଠାରେ ଏକ ନିର୍ମାଣାଧୀନ କୋଠା ଭୁଶୁଡ଼ି ପଡ଼ିଥିଲା, ଯେଉଁଥିରେ ୧୧୭ରୁ ଅଧିକ ଲୋକ ଫସି ଯାଇଥିଲେ ଏବଂ ସେଠାରେ ୮ ଜଣଙ୍କର ମୃତ୍ୟୁ ହୋଇଥିଲା।ମିଆଁମାରର ସରକାରୀ ସୂଚନା ମୁତାବକ ମିଆଁମାରରେ ୧୪୪ ଜଣଙ୍କ ମୃତ୍ୟୁକୁ ନିଶ୍ଚିତ କରିଛି ଏବଂ ୭୩୨ ଜଣ ଆହତ ହୋଇଛନ୍ତି। ଅନେକ ଅଞ୍ଚଳ ଅପହଞ୍ଚ ହୋଇଥିବାରୁ ମୃତକଙ୍କ ସଂଖ୍ୟା ବଢିପାରେ ବୋଲି କୁହାଯାଇଛି। ତେବେ ବେସରକାରୀ ସ୍ତରରେ ମୃତ୍ୟୁ ସଂଖ୍ୟା ଆହୁରି ଅଧିକ ବୋଲି କୁହାଯାଉଛି। ଶକ୍ତିଶାଳୀ ଭୂମିକମ୍ପ ପରେ ମଣ୍ଡାଲେର ୯୦ ବର୍ଷ ପୁରୁଣା ଆଭା ବ୍ରିଜ୍ ଇରାବତୀ ନଦୀରେ ଭୁଶୁଡ଼ି ପଡିଛି।

ଏହି ଭୂମିକମ୍ପର ସାମାନ୍ୟ ଝଟକା ପଡ଼ୋଶୀ ଦେଶ ଭାରତରେ ମଧ୍ୟ ଅନୁଭୂତ ହୋଇଛି। କୋଲକାତା, ଇମ୍ଫାଲ ଏବଂ ମେଘାଳୟର ପୂର୍ବ ଗାରୋ ହିଲ୍ସ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଥିବା ବେଳେ କୌଣସି ଧନଜୀବନ ହାନି ହୋଇନଥିବାର ସୂଚନା ମିଳିଛି। ସେହିପରି ପଡ଼ୋଶୀ ଦେଶ ବାଂଲାଦେଶର ଢାକା, ଚତ୍ତୋଗ୍ରାମରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଥିଲେ ହେଁ ଏଥିରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି। ମିଆଁମାର ସୀମାରେ ଥିବା ଦକ୍ଷିଣ-ପଶ୍ଚିମ ଚୀନର ୟୁନାନ ପ୍ରଦେଶରେ ମଧ୍ୟ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିବା ବେଳେ ସେଠାରେ ମଧ୍ୟ କେହି ମୃତାହତ ହୋଇନଥିବା ସୂଚନା ମିଳିଛି।

Bichitra Dunia
Author: Bichitra Dunia

Leave a Comment